Bhadrak Dhusuri Firing Case: ଭଦ୍ରକ ଧୁଷୁରୀରେ ଗୁଳି ଫୁଟାଇ ଲୁଟ୍, ୪ ଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ
ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରେ ବଡ଼ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ରଘୁପୁର ଚେପୁର୍ଟ ପଞ୍ଚାୟତ ଅଧୀନ କଷିକା ଗାଁରେ ମଧ୍ୟରାତ୍ରିରେ ୪ ଜଣ ସଶସ୍ତ୍ର ଦୁର୍ବୃତ୍ତ ଜଣେ ଆଦିବାସୀ ପରିବାରର ଘରେ ପଶି ଗୁଳି ଫୁଟାଇ ଲୁଟ୍ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୨ ଟା ସମୟରେ ପାଟବସା ରାଉତଙ୍କ ଘରେ ୪ ଜଣ ମୁହାଁ ଢାଙ୍କି ପଶିଥିଲେ। ପରିବାର ଲୋକେ ବାଧା ଦେବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୫ ରାଉଣ୍ଡ ଗୁଳି ଫୁଟାଇଥିଲେ। ଗୁଳି ଶବ୍ଦ ଶୁଣି ଗାଁ ଲୋକେ ଆସିବା ପୂର୍ବରୁ ଦୁର୍ବୃତ୍ତମାନେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା, ପାରମ୍ପାରିକ ଅଳଙ୍କାର ଏବଂ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛନ୍ତି।
ଏହି ଲୁଟ୍ ଘଟଣାରେ ପରିବାରର ପ୍ରାୟ ୩ ରୁ ୪ ଲକ୍ଷ ଟଙ୍କାର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି।
ଘଟଣା ପରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ଧୁଷୁରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳକୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ମଧ୍ୟ ନିଆଯାଇ ତଦନ୍ତ କରାଯାଉଛି। ଗୁଳିର ଖୋକା ମଧ୍ୟ ପୁଲିସ ଜବତ କରିଛି।
ଧୁଷୁରୀ ପୁଲିସ କହିଛି, ଖୁବ୍ ଶୀଘ୍ର ଦୁର୍ବୃତ୍ତଙ୍କୁ ଧରାଯିବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ଏବଂ ରାତିରେ ପୋଲିସ ପାଟ୍ରୋଲିଂ ବଢାଇବାକୁ ଦାବି ହୋଇଛି।
Comments
Post a Comment